ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଜନ୍ମ ୫ ନଭେମ୍ବର ୧୯୮୮ରେ ଦିଲ୍ଲୀରେ ହୋଇଥିଲା । ଆଉ ଆଜି ୩୬ ବର୍ଷରେ ପାଦ ଥାପିଛନ୍ତି ବିରାଟ କୋହଲି । ଭାରତୀୟ କ୍ରିକେଟର ବିରାଟ କୋହଲି ନିଜ ଦେଢ଼ ଦଶନ୍ଧୀ କ୍ୟାରିୟରରେ ୨୭ ହଜାରରୁ ଅଧିକ ରନ କରିଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟରେ ୮୦ଟି ଶତକ କରିଛନ୍ତି । କିନ୍ତୁ ୨୦୨୪ ତାଙ୍କ କ୍ୟାରିୟର ପାଇଁ ସବୁଠୁ ଖରାପ ସାବ୍ୟସ୍ତ ହୋଇଛି । ୩ଟି ଫର୍ମାଟରେ କୋହଲି ୫୦୦ ରନ୍ ମଧ୍ୟ କରିପାରି ନାହାନ୍ତି । ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ଭାରତ ପରାଜୟ ଭୋଗିଛି । ୩ଟି ମ୍ୟାଚ୍ରେ ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ଏହି ତାଲିକାରେ କିଙ୍ଗ କୋହଲି ମଧ୍ୟ ସାମିଲ । ହେଲେ ନିଜ ଜନ୍ମଦିନ ଅବସରରେ କୋହଲି ପରିବାର ସହ ଲଣ୍ଡନରେ ଛୁଟି ମନାଉଛନ୍ତି । ପୁଅ ଓ ଝିଅଙ୍କୁ ଧରି କୋହଲି ବୁଲୁଥିବାର ଫଟୋ ଏବେ ଭାଇରାଲ୍ ହେଉଛି ।
ଚାମ୍ପିୟନ୍ସ ଟ୍ରଫିରେ କୋହଲିଙ୍କ ରେକର୍ଡ
ଆଗାମୀ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଦଳ ପାକିସ୍ତାନ ଯିବ କି ନାହିଁ ଭାରତ ସରକାର ସ୍ପଷ୍ଟ କରିନାହାନ୍ତି । ଯଦି ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରେ ତେବେ ଖେଳପ୍ରେମୀଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ । ଏହା ପଛର କାରଣ ହେଉଛି, ଚାମ୍ପିୟନ୍ସ ଟ୍ରଫିରେ କୋହଲି ଜବରଦସ୍ତ ରେକର୍ଡ କରିଛନ୍ତି । ଚାମ୍ପିୟନ୍ସ ଟ୍ରଫିରେ ଏବେ ସୁଦ୍ଧା ୧୩ଟି ମ୍ୟାଚ୍ ଖେଳି କୋହଲି ୫୨୯ ରନ୍ କରିଚନ୍ତି । ଆଇସିସି ଟୁର୍ଣ୍ଣାମେଣ୍ଟରେ ରନ୍ କରିବାକୁ ଖୁବ ଭଲ ପାଆନ୍ତି ବିରାଟ । ତେଣୁ ୨୦୨୫ରେ ଆୟୋଜିତ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିରେ କୋହଲି ଭଲ ପ୍ରଦର୍ଶନ କରି ୨୪ରେ ତାଙ୍କ ଉପରେ ଲାଗିଥିବା ଦାଗ ଲିଭାଇବାକୁ ଚେଷ୍ଟା କରିପାରନ୍ତି ।
୨୦୨୫ରେ ହେବ ବଡ଼ ପ୍ରତ୍ୟାବର୍ତ୍ତନ !
୨୦୨୫ରେ ଭାରତୀୟ ଟିମ୍ ନିଜର ପ୍ରଥମ ଅଭିଯାନ ଇଂଲଣ୍ଡ ବିପକ୍ଷରେ ଆରମ୍ଭ କରିବ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସରିଜ୍ରୁ ଭାରତୀୟ ଦଳ ଏବଂ ଏହାର ଖେଳାଳି ଦମଦାର ଆରମ୍ଭ କରିପାରନ୍ତି । ଇଂଲଣ୍ଡ ଟିମ୍ ଭାରତ ଆସିବାକୁ ଥିବା ବେଳେ ଏଠାରେ ଦୁଇ ଦଳ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍, ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସରିଜ୍ ଖେଳାଯିବ । ସେପଟେ ଇଂଲଣ୍ଡ ବିପକ୍ଷରେ ୩ଟି ଫର୍ମାଟରେ ବିରାଟ କୋହଲି ଭଲ ପ୍ରଦର୍ଶନ କରୁଥିବା ନଜିର ରହିଛି । ସେ ଦିନିକିଆରେ ଇଂଲଣ୍ଡ ବିପକ୍ଷରେ ୧୩୦୦ରୁ ଅଧିକ ରନ୍ କରିଛନ୍ତି । ଏହା ବ୍ୟତୀତ ଟେଷ୍ଟରେ କୋହଲି ଖୁବଶୀଘ୍ର ଇଂଲିଶ ଟିମ୍ ବିପକ୍ଷରେ ୨୦୦୦ ରନ୍ ପୂରଣ କରିବାକୁ ଯାଉଛନ୍ତି ।